ଦାଦନ ପାଇଁ ଯାଉଥିବା ୩୬ ଜଣଙ୍କୁ ବସ୍ ଭିତରୁ ଉଦ୍ଧାର କଲା କେସିଙ୍ଗା ପୋଲିସ

Sep 29, 2026 - 06:28
0 102
ଦାଦନ ପାଇଁ ଯାଉଥିବା ୩୬ ଜଣଙ୍କୁ  ବସ୍ ଭିତରୁ ଉଦ୍ଧାର କଲା କେସିଙ୍ଗା ପୋଲିସ

​ କେସିଙ୍ଗା ,୨୯/୦୯/୨୬ :- ଓଡ଼ିଶାରେ କାମର ଅଭାବ ହେଉଥିବା ବେଳେ ଲୋକ ନିଜ ଓ ନିଜ ପରିବାର ର ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ପ୍ରାୟ ସବୁ ସମୟରେ ଦେଖିବାକୁ ମିଳୁଛି । ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରୁ ତାମିଲନାଡୁ ଯିବା ପାଇଁ ବାହାରିଥିବା ଦାଦନ ଶ୍ରମିକ ଙ୍କୁ କେସିଙ୍ଗା ଯୋଲକୋ ଛକ ନିକଟରେ ପୁଷ୍ପାଞ୍ଜଳି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭିତରୁ ଉଦ୍ଧାର କରିଛି କେସିଙ୍ଗା ପୋଲିସ । କୌଣସି ସୂତ୍ର ରୁ ଖବର ପାଇ କେସିଙ୍ଗା ପୋଲିସ ଯୋଲକୋ ନିକଟରେ ଅଟକାଇ ଯାଞ୍ଚ କରିଥିଲା , ଯାଞ୍ଚ ସମୟରେ ବସରେ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଥିବା ଜଣାପଡ଼ିଥିଲା। ଏହା ପରେ ପୋଲିସ ବସ ସହିତ ସମସ୍ତ ଶ୍ରମିକଙ୍କୁ ଥାନାକୁ ଆଣି ସେମାନଙ୍କର ପରିଚୟପତ୍ର ତଥା ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିଲା। ସମୁଦାୟ ୩୬ ଜଣ ଶ୍ରମିକ ବସରେ ରହିଥିଲେ । ​ ଏହି ସମସ୍ତ ଶ୍ରମିକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରାଜ ମୋଟେର ଅଞ୍ଚଳର ହୋଇଥିବା ବେଳେ , ସମସ୍ତେ ଧର୍ମଗଡ ରୁ ବସ ଯୋଗେ ଆସି କେସିଙ୍ଗା ରେଳ ଷ୍ଟେସନରୁ ଟ୍ରେନ ଯୋଗେ ତାମିଲନାଡୁ ର କୋଇମ୍ବାଟୁର ଯିବା ପାଇଁ ବାହାରିଥିବା ଜଣାପଡ଼ିଛି । ପୋଲିସ ପ୍ରାଥମିକ ତଦନ୍ତ ପରେ ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ବିଭାଗକୁ ସୂଚନା ଦେଇଛି। ଶ୍ରମ ବିଭାଗର ଅଧିକାରୀମାନେ ପହଞ୍ଚି ସମସ୍ତ ନଥିପତ୍ର ଓ ଆଇନଗତ ପ୍ରକ୍ରିୟା ଯାଞ୍ଚ କରିବା ପରେ ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ଛଡ଼ାଯିବ ବୋଲି ସୂଚନା ମିଳିଛି। ​ ସ୍ଥାନୀୟ ଅଞ୍ଚଳରେ ନିୟମିତ କାମଧନ୍ଦା ନ ମିଳିବା, କୃଷି କ୍ଷେତ୍ରରେ ଅନିଶ୍ଚିତତା ଏବଂ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଅଭାବ ଓ ଉପଯୁକ୍ତ ପାରିଶ୍ରମିକ ନ ମିଳିବା ଯୋଗୁଁ ଲୋକେ ଭିଟାମାଟି ଛାଡୁଥିବା ପ୍ରକାଶ କରିଛନ୍ତି କିଛି ଦାଦନ ଶ୍ରମିକ । ସରକାର ଦାଦନ ରୋକିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଭାବେ ବାହାର ରାଜ୍ୟ କୁ ଯାଇଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଶ୍ରମିକ ମାନଙ୍କ କାର୍ଯ୍ୟ ପର୍ଯ୍ୟାପ୍ତ ହେଉନଥିବା ଓ ଉଚିତ୍ ଦାମ୍ ମିଳୁନଥିବା ଯୋଗୁଁ ବାହାର ରାଜ୍ୟକୁ ଯାଉଥିବା କୁହାଯାଉଛି।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User